ଚେନ୍ନାଇ: ୨୦୨୯ ଲୋକସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଏବେଠାରୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଅଭିନେତାରୁ ରାଜନେତା ହୋଇଥିବା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍ (ଟିଭିକେ) ମଧ୍ୟରେ ଦାବି ଉଠିବା ଆରମ୍ଭ ହୋଇଛି। ଏହା ଫଳରେ କଂଗ୍ରେସର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଚେହେରା ରାହୁଲ ଗାନ୍ଧୀଙ୍କ ପାଇଁ ତାମିଲନାଡୁରେ ନୂଆ ରାଜନୈତିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ଅଗଷ୍ଟ ୧୮ରେ ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଏମ୍. ଶରତକୁମାର ବିଜୟଙ୍କୁ ଦେଶର ଭବିଷ୍ୟତ ପ୍ରଧାନମନ୍ତ୍ରୀ ବୋଲି କହିବା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଶରତକୁମାର କହିଥିଲେ ଯେ ବିଜୟ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଆଗାମୀ ଦିନରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ତେବେ ବିଜୟ ନିଜେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିନାହାନ୍ତି।
ବିଜୟଙ୍କୁ ନେଇ ଟିଭିକେର ରଣନୀତି
ଏହା ପୂର୍ବରୁ ଟିଭିକେର ଅନ୍ୟ ଜଣେ ନେତା ଆଧବ ଅର୍ଜୁନ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁରୁ ହେବା ଉଚିତ ବୋଲି ମତ ଦେଇଥିଲେ। ଦଳର ଏକାଧିକ ନେତା ବିଜୟଙ୍କ ଜାତୀୟ ରାଜନୀତିରେ ଭୂମିକା ନେଇ ମତ ରଖିବା ପରେ ୨୦୨୯କୁ ନେଇ ଟିଭିକେର ଆଭିମୁଖ୍ୟ ଉପରେ ଚର୍ଚ୍ଚା ବଢ଼ିଛି।
ରାହୁଲଙ୍କୁ ନେଇ କଂଗ୍ରେସର ଯୋଜନା
ଅନ୍ୟପକ୍ଷରେ, କଂଗ୍ରେସ ମଧ୍ୟ ୨୦୨୯ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ଭାବେ ଆଗକୁ ଆଣିବା ନେଇ ଜୋର ଦେଉଛି। ଜୁନ୍ରେ ତାମିଲନାଡୁ କଂଗ୍ରେସର ନୂଆ ନେତୃତ୍ୱ ନିଯୁକ୍ତି ପରେ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କହିଥିଲେ ଯେ ୨୦୨୬ରେ ରାଜ୍ୟରେ ସରକାରରେ ଭାଗୀଦାର ହେବା ପରେ ଦଳର ପରବର୍ତ୍ତୀ ବଡ଼ ଲକ୍ଷ୍ୟ ୨୦୨୯ ଲୋକସଭା ନିର୍ବାଚନ।
ସେ ଦଳୀୟ କର୍ମୀଙ୍କୁ ରାହୁଲ ଗାନ୍ଧୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବା ଲକ୍ଷ୍ୟରେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।
ମେଣ୍ଟ ସମୀକରଣରେ ନୂଆ ଚ୍ୟାଲେଞ୍ଜ
ତାମିଲନାଡୁରେ ଟିଭିକେ ଓ କଂଗ୍ରେସ ଏକାଠି ସରକାର ଚଳାଉଥିବା ପରିପ୍ରେକ୍ଷୀରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଦାବି କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରଶ୍ନ ହୋଇଛି। ଟିଭିକେ ସହ କଂଗ୍ରେସର ମେଣ୍ଟ ଯୋଗୁଁ ତାମିଲନାଡୁରେ ଦୀର୍ଘଦିନର ଡିଏମ୍କେ-କଂଗ୍ରେସ ସମ୍ପର୍କ ମଧ୍ୟ ଭାଙ୍ଗିଛି।
ଏଭଳି ସ୍ଥିତିରେ ଟିଭିକେ ନେତାଙ୍କ ପକ୍ଷରୁ ବିଜୟଙ୍କୁ ୨୦୨୯ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଉଠିବା ଆଗାମୀ ଦିନରେ ମେଣ୍ଟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରେ। ତେବେ ବିଜୟଙ୍କ ନିଜସ୍ୱ ଆଭିମୁଖ୍ୟ ଏବଂ ୨୦୨୯ ନିର୍ବାଚନ ପୂର୍ବରୁ ଦଳଗୁଡ଼ିକର ମେଣ୍ଟ ରଣନୀତି ଉପରେ ଏହାର ପ୍ରଭାବ ନିର୍ଭର କରିବ।




