ନାଗୋୟା/ଭୁବନେଶ୍ୱର: ଜାପାନର ନାଗୋୟାରେ ଚାଲିଥିବା ୨୦୨୬ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶାର ଜୟନ୍ତୀ ବେହେରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ୪୦୦ ମିଟର ଟି-୪୭ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି। ଗୁରୁବାର ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ସ ଷ୍ଟାଡିୟମ୍ରେ ଜୟନ୍ତୀ ୧ ମିନିଟ୍ ୦.୬୫ ସେକେଣ୍ଡରେ ଦୌଡ଼ ଶେଷ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।
ଏହି ଇଭେଣ୍ଟରେ ଭାରତର ଅଞ୍ଜନାବେନ ବୁମ୍ବାଡିଆ ୫୯.୯୭ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଥାଇଲାଣ୍ଡର ସାସିରାୱାନ ଇନ୍ଥାଚୋଟ ୧ ମିନିଟ୍ ୨.୫୮ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି। ଏହିପରି ଭାବେ ମହିଳା ୪୦୦ ମିଟର ଟି-୪୭ ବର୍ଗରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛି।
ଅଳ୍ପ ବୟସରୁ ସଂଘର୍ଷ, ଏବେ ଅନ୍ତର୍ଜାତୀୟ ସଫଳତା
୧୯୯୯ରେ ଜନ୍ମିତ ଜୟନ୍ତୀଙ୍କ ଜୀବନ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଛି। ମାତ୍ର ଏକ ବର୍ଷ ବୟସରେ ଚୁଲାରେ ପଡ଼ିଯିବାରୁ ତାଙ୍କ ବାମ ହାତରେ ଗୁରୁତର ପୋଡ଼ା ଆଘାତ ଲାଗିଥିଲା। ଏହାର ପ୍ରଭାବରେ ତାଙ୍କ ବାମ କହୁଣୀ ଓ ହାତରେ ସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଥିଲା। ତଥାପି ସେ ହାର ନମାନି ଦୌଡ଼କୁ ନିଜର ଲକ୍ଷ୍ୟ କରିଥିଲେ।
ଜୟନ୍ତୀଙ୍କ ପ୍ରତିଭାକୁ ତାଙ୍କ ସ୍କୁଲ୍ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଚିହ୍ନିପାରିଥିଲେ। ସେ ତାଙ୍କୁ ସାକ୍ଷୀଗୋପାଳସ୍ଥିତ ଗୁରୁକୁଳ ଆଥଲେଟିକ୍ସ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ଦେଇଥିଲେ।
ଏହା ପୂର୍ବରୁ ୨୦୧୭ରେ ସ୍ୱିଜରଲାଣ୍ଡର ନଟୱିଲ୍ଠାରେ ଆୟୋଜିତ ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିଅନ୍ସିପ୍ର ୪୦୦ ମିଟର ଦୌଡ଼ରେ ଜୟନ୍ତୀ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ ଏସୀୟ ପାରା କ୍ରୀଡ଼ାରେ ସେ ୪୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ କାଂସ୍ୟ ପଦକ ହାସଲ କରିଥିଲେ।
ଚଳିତ ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ପଦକ ଜିତି ଜୟନ୍ତୀ ପୁଣିଥରେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି। ତାଙ୍କର ଏହି ସଫଳତାରେ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।




