ଭୁବନେଶ୍ୱର: ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ ଚମକିଛନ୍ତି ଓଡ଼ିଶା ଡାକ ପରିମଣ୍ଡଳର ଖେଳାଳି। ଉତ୍ତରାଖଣ୍ଡର ଡେରାଡୁନଠାରେ ଆୟୋଜିତ ୩୯ତମ ସର୍ବଭାରତୀୟ ଡାକ ବ୍ୟାଡମିଣ୍ଟନ ପ୍ରତିଯୋଗିତା-୨୦୨୬ରେ ଓଡ଼ିଶା ମୋଟ ୫ଟି ପଦକ ହାସଲ କରିଛି। ପୁରୁଷ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ଦଳକୁ ମିଳିଛି କାଂସ୍ୟ ପଦକ। ବ୍ୟକ୍ତିଗତ ବିଭାଗରେ ସ୍ୱାଧୀନ ଗୌଡ଼ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଫାଇନାଲରେ କେରଳଠାରୁ ହାରିଲା ପୁରୁଷ ଦଳ

ପୁରୁଷ ଦଳଗତ ବିଭାଗରେ ଓଡ଼ିଶା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ରାଜସ୍ଥାନକୁ ୩-୦ରେ ଏବଂ କ୍ୱାର୍ଟର ଫାଇନାଲରେ କର୍ଣ୍ଣାଟକକୁ ସମାନ ୩-୦ ବ୍ୟବଧାନରେ ପରାସ୍ତ କରିଥିଲା ଦଳ।

ସେମିଫାଇନାଲରେ ଗତବର୍ଷର ଚାମ୍ପିଅନ୍ ତାମିଲନାଡୁକୁ ୩-୨ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା ଓଡ଼ିଶା। ତେବେ ଫାଇନାଲରେ କେରଳ ବିପକ୍ଷରେ କଡ଼ା ମୁକାବିଲା ସତ୍ତ୍ୱେ ୨-୩ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା।

ମିଶ୍ରିତ ଯୁଗଳରେ ସ୍ୱାଧୀନଙ୍କୁ ସ୍ୱର୍ଣ୍ଣ

ବ୍ୟକ୍ତିଗତ ବିଭାଗରେ ମଧ୍ୟ ଓଡ଼ିଶାର ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ମିଶ୍ରିତ ଯୁଗଳ ବିଭାଗରେ ସ୍ୱାଧୀନ ଗୌଡ଼ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଏକକ ବିଭାଗରେ ସୀମା ପାଞ୍ଚାଲ ଏବଂ ଭେଟେରାନ୍ ଯୁଗଳ ବିଭାଗରେ ହିମାଂଶୁ ଭୂଷଣ ପରିଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ, ମହିଳା ଦଳଗତ ବିଭାଗରେ ମଧ୍ୟ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଏହିପରି ଦଳଗତ ଓ ବ୍ୟକ୍ତିଗତ ବିଭାଗକୁ ମିଶାଇ ଓଡ଼ିଶାର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ରହିଛି।

ଖେଳାଳିଙ୍କ ପରିଶ୍ରମ ଓ ଦଳଗତ ଏକତାର ପରିଣାମ

ଖେଳାଳିମାନଙ୍କ କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ଦଳଗତ ଏକତା ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଇଛି। ବିଶେଷକରି ଗତବର୍ଷର ବିଜେତା ତାମିଲନାଡୁକୁ ସେମିଫାଇନାଲରେ ପରାସ୍ତ କରିବା ଏବଂ ଫାଇନାଲରେ କେରଳକୁ କଡ଼ା ଟକ୍କର ଦେବା ଓଡ଼ିଶା ଡାକ ପରିମଣ୍ଡଳ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି।