ଭୁବନେଶ୍ୱର: ଆଇପିଏଲ୍‌ରେ ପୁଣି ଏକ ବିବାଦ ଦେଖାଦେଇଛି। ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ ସମୟରେ ଡ୍ରେସିଂ ରୁମ୍‌ରେ ‘ଭେପିଂ’ (ଇ-ସିଗାରେଟ୍ ଟାଣିବା) କରୁଥିବା କ୍ୟାମେରାରେ ଧରାପଡ଼ିବା ପରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିସିସିଆଇ (BCCI) ପକ୍ଷରୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି।

ମଙ୍ଗଳବାର ରାତିରେ ମୁଲ୍ଲାନ୍‌ପୁରରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ରନ୍ ପିଛା କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଲାଇଭ୍ ବ୍ରଡକାଷ୍ଟ ସମୟରେ ରିୟାନ ଡ୍ରେସିଂ ରୁମ୍‌ରେ ବସି ଇ-ସିଗାରେଟ୍ ବା ଭେପ୍ ଟାଣୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ମ୍ୟାଚ୍ ରେଫରି ଅମିତ ଶର୍ମା ରିୟାନଙ୍କୁ ଆଇପିଏଲ୍ ଆଚରଣ ବିଧିର ଧାରା ୨.୨୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ ତାଙ୍କୁ ୨୫% ମ୍ୟାଚ୍ ଫି’ ଜରିମାନା ସହ ଗୋଟିଏ ‘ଡେମେରିଟ୍ ପଏଣ୍ଟ’ ଦିଆଯାଇଛି। ଅମ୍ପାୟାର ତନ୍ମୟ ଶ୍ରୀବାସ୍ତବ ଏବଂ ନିତିନ ମେନନ୍ ପ୍ରଥମେ ଏହାକୁ ଦେଖିପାରିନଥିଲେ ମଧ୍ୟ ପରେ ଫୁଟେଜ୍ ଯାଞ୍ଚ କରି ରିପୋର୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ୨୦୧୯ ମସିହାରୁ ଇ-ସିଗାରେଟ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ବିସିସିଆଇ ଏହି ଘଟଣାକୁ ଗୁରୁତର ସହ ନେଇଛି ଏବଂ କହିଛି ଯେ ଏହା ଖେଳର ମର୍ଯ୍ୟାଦା ହାନି କରିଛି। ଆଗାମୀ ଦିନରେ ଏଭଳି ଘଟଣାକୁ ରୋକିବା ପାଇଁ ଅଧିକ କଠୋର ନିୟମ କରାଯାଇପାରେ।

ଏହି ସିଜନରେ ରାଜସ୍ଥାନ ରୟାଲ୍ସ ପାଇଁ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ଟିମ୍ ମ୍ୟାନେଜର ରୋମି ଭିନ୍ଦରଙ୍କୁ ଡଗ୍‌ଆଉଟ୍ ନିୟମ ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।