ୱାଶିଂଟନ/ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରୁ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ବାସିନ୍ଦା ସର୍ବସମ୍ମୁଖରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଚିରି ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏହି ଘଟଣାଟି ଟେକ୍ସାସର ଫ୍ରିସ୍କୋ ସିଟି ହଲ୍ ବାହାରେ ଘଟିଥିବା କୁହାଯାଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପାଟିରେ ସିଗାରେଟ୍ ଚାପି ଜଣେ ଯୁବକ ଭାରତୀୟ ପତାକାକୁ ଫାଡ଼ି ଫିଙ୍ଗୁଛନ୍ତି ଏବଂ ତାଙ୍କ ଚାରିପାଖରେ ଠିଆ ହୋଇଥିବା କିଛି ଲୋକ ତାଙ୍କୁ ଉତ୍ସାହିତ କରିବା ସହ ଭାରତ ବିରୋଧୀ ନାରାବାଜି କରୁଛନ୍ତି। ଉତ୍ତର ଡାଲାସ୍ ଅଞ୍ଚଳରେ ବଢ଼ୁଥିବା ଭାରତୀୟ ପ୍ରବାସୀଙ୍କ ସଂଖ୍ୟାକୁ ନେଇ କ୍ରୋଧ ପ୍ରକାଶ କରି ସେ ଏଭଳି କାଣ୍ଡ କରିଥିବା ଏକ୍ସ (X) ପୋଷ୍ଟରେ ଦାବି କରାଯାଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ତର୍କ ଏବଂ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ଅନେକ ଭାରତୀୟ ୟୁଜର୍ସ ଏହାକୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏହା ଦେଖି ମୋ ଆଖିରେ ଲୁହ ଆସିଯାଉଛି।” ଅନ୍ୟ ଜଣେ କହିଛନ୍ତି ଯେ ଭାରତୀୟଙ୍କ ସଫଳତା ଓ ପ୍ରଗତିକୁ ଦେଖି କିଛି ଲୋକ ଇର୍ଷାନ୍ୱିତ ହୋଇ ଏଭଳି କରୁଛନ୍ତି।

କେତେକ ଆମେରିକୀୟ ନାଗରିକ ମଧ୍ୟ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଭାରତୀୟମାନେ ଆମେରିକାକୁ ବେଆଇନ ଭାବେ ନୁହେଁ, ବରଂ H-1B ଭିସା ମାଧ୍ୟମରେ ଆଇନଗତ ଭାବେ ଆସୁଛନ୍ତି ଏବଂ ସେଠାକାର ବଡ଼ ବଡ଼ ଆଇଟି କମ୍ପାନୀ ଚଳାଉଛନ୍ତି, ଟିକସ ଦେଉଛନ୍ତି। ପତାକା ଚିରିବା ଦ୍ୱାରା କୌଣସି ନୀତିର ସମାଧାନ ହେବ ନାହିଁ।କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ନିଜ ସହରରେ ସ୍ଥାନୀୟ ଲୋକ ସଂଖ୍ୟାଲଘୁ ପାଲଟିଯାଉଥିବାରୁ କିଛି ଯୁବକଙ୍କ ମଧ୍ୟରେ ଏଭଳି ହତାଶା ଦେଖାଦେଉଛି।ତେବେ ଅନେକ ଲୋକ ଏହି ଘଟଣାକୁ ଗୁରୁତ୍ୱ ନଦେବାକୁ କହିଛନ୍ତି। ସେମାନଙ୍କ ମତରେ, ଜଣେ କାମଧନ୍ଦା ନଥିବା ଯୁବକ କେବଳ ଶସ୍ତା ସୋସିଆଲ ମିଡିଆ ଆଟେନସନ ପାଇବା ପାଇଁ ଏଭଳି ଘୃଣ୍ୟ କାର୍ଯ୍ୟ କରିଛି।