ମସ୍କୋ: ରୁଷିଆର ସାଇବେରିଆ ଅଞ୍ଚଳରେ ଜଣେ ପ୍ଲେଗ୍ ଗବେଷଣା କେନ୍ଦ୍ରର ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ ସମ୍ଭାବ୍ୟ ପ୍ଲେଗ୍ ସଂକ୍ରମଣକୁ ନେଇ ଅନ୍ତର୍ଜାତୀୟ ଚିନ୍ତା ବଢ଼ିଛି। ତେବେ ରୁଷିଆରେ ପ୍ଲେଗ୍ ସଂକ୍ରମଣ ନିଶ୍ଚିତ ହୋଇନାହିଁ। ରୁଷିଆର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଜଣାଇଛନ୍ତି ଯେ ଇର୍କୁତ୍ସ୍କ ଅଞ୍ଚଳରେ ସମ୍ପ୍ରତି କୌଣସି ପ୍ଲେଗ୍ ମାମଲା ଚିହ୍ନଟ ହୋଇନାହିଁ।
ମୃତ ମହିଳାଙ୍କୁ ୨୮ ବର୍ଷୀୟ ଦାର୍ୟା ଶିପିଲୋଭା ବୋଲି ସ୍ଥାନୀୟ ରିପୋର୍ଟରେ ଚିହ୍ନଟ କରାଯାଇଛି। ସେ ସାଇବେରିଆର ଇର୍କୁତ୍ସ୍କ ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ କାର୍ଯ୍ୟରତ ଥିଲେ। ଅସୁସ୍ଥ ହେବା ପରେ ଅକ୍ଟୋବର ୨ରେ ତାଙ୍କ ମୃତ୍ୟୁ ଘଟିଥିଲା। ରୁଷିଆ କର୍ତ୍ତୃପକ୍ଷ ତାଙ୍କ ମୃତ୍ୟୁର କାରଣକୁ ‘ଅଜଣା କାରଣର ନିମୋନିଆ’ ବୋଲି କହିଛନ୍ତି।
ପ୍ରାୟ ୨୦୦ ଜଣଙ୍କ ଉପରେ ନଜର
ଘଟଣା ପରେ ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦ ଜଣଙ୍କୁ ଚିକିତ୍ସା ନିରୀକ୍ଷଣରେ ରଖାଯାଇଥିବା ରିପୋର୍ଟ ମିଳିଛି। ସମ୍ପର୍କରେ ଥିବା ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ କୌଣସି ବିପଜ୍ଜନକ ସଂକ୍ରାମକ ରୋଗଜୀବାଣୁ ମିଳିନଥିବା ରୁଷିଆ ପକ୍ଷରୁ WHOକୁ କୁହାଯାଇଛି।
ମୃତ୍ୟୁର ପ୍ରକୃତ କାରଣ ନେଇ WHO ରୁଷିଆଠାରୁ ଅଧିକ ସୂଚନା ମାଗିଛି। ଏହା ସହ ଦ୍ୱିତୀୟ ଜଣେ ଲାବ୍ କର୍ମଚାରୀ ନିମୋନିଆରେ ଆକ୍ରାନ୍ତ ହୋଇଥିବା ନେଇ ଗଣମାଧ୍ୟମରେ ଆସିଥିବା ଖବର ଉପରେ ମଧ୍ୟ ସ୍ପଷ୍ଟତା ଚାହିଁଛି WHO।
WHO କହିଲା- ବିଶ୍ୱ ପାଇଁ ବିପଦ ଅତ୍ୟନ୍ତ କମ
ଘଟଣା ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିଥିଲେ ମଧ୍ୟ WHOର ପ୍ରାଥମିକ ଆକଳନ ଅନୁସାରେ ଇର୍କୁତ୍ସ୍କ ଅଞ୍ଚଳ ପାଇଁ ଜନସ୍ୱାସ୍ଥ୍ୟ ବିପଦ ‘ମଧ୍ୟମରୁ କମ୍’, ସମଗ୍ର ରୁଷିଆ ପାଇଁ ‘କମ୍’ ଏବଂ ୟୁରୋପୀୟ ଅଞ୍ଚଳ ପାଇଁ ‘ଅତ୍ୟନ୍ତ କମ୍’। WHO ପରିସ୍ଥିତି ଉପରେ ନଜର ରଖିବା ସହ ରୁଷିଆକୁ ବୈଷୟିକ ସହାୟତା ଦେବା ପାଇଁ ପ୍ରସ୍ତୁତ ଥିବା କହିଛି।
ଏପଟେ ଆମେରିକା ମଧ୍ୟ ଏହି ଘଟଣା ଉପରେ ନଜର ରଖିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କହିଛନ୍ତି। ଆମେରିକା ରୁଷିଆଠାରୁ ଅଧିକ ସୂଚନା ଚାହୁଁଥିବା ମଧ୍ୟ ଜଣାପଡ଼ିଛି।
ପ୍ଲେଗ୍ ସଂକ୍ରମଣ ଏଯାଏ ନିଶ୍ଚିତ ନୁହେଁ
ପ୍ଲେଗ୍ର ଏକ ଗୁରୁତର ରୂପ ହେଉଛି ‘ପ୍ନ୍ୟୁମୋନିକ୍ ପ୍ଲେଗ୍’, ଯାହା ଶ୍ୱାସକଣିକା ମାଧ୍ୟମରେ ମଣିଷଠାରୁ ମଣିଷକୁ ବ୍ୟାପିପାରେ। ତେବେ ରୁଷିଆର ମୃତ ଲାବ୍ କର୍ମଚାରୀଙ୍କ ମୃତ୍ୟୁ ପ୍ଲେଗ୍ ଯୋଗୁଁ ହୋଇଥିବାର ପ୍ରମାଣ ଏଯାଏ ମିଳିନାହିଁ। ତେଣୁ ଏହାକୁ ଏବେ ‘ସମ୍ଭାବ୍ୟ ପ୍ଲେଗ୍’ ଘଟଣା ଭାବେ ତଦନ୍ତ କରାଯାଉଛି।




