ତେହେରାନ: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ତନାତନି ମଧ୍ୟରେ ଇରାନ ନିଜର ନୂତନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆରସ-ଏ-କମାଙ୍ଗିର’ର ସଫଳ ପ୍ରୟୋଗ କରିଥିବା ଦାବି କରିଛି। ଇରାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକାର ଏକ ଅତ୍ୟାଧୁନିକ MQ-9 Reaper ଗୁଇନ୍ଦା ଡ୍ରୋନ୍କୁ ଏହି ବ୍ୟବସ୍ଥା ସାହାଯ୍ୟରେ ଗୁଳି କରି ଖସାଇ ଦିଆଯାଇଛି। ଡ୍ରୋନ୍ଟିର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ମିଲିୟନ ଡଲାର ବୋଲି କୁହାଯାଉଛି।
ଇରାନର ଦାବି ଅନୁସାରେ, କ୍ୟାସମ ଦ୍ୱୀପ ନିକଟ ଆକାଶସୀମାରେ ଏହି ଘଟଣା ଘଟିଥିଲା। ‘ଆରସ-ଏ-କମାଙ୍ଗିର’ ବ୍ୟବସ୍ଥାର ଏହା ପ୍ରଥମ ସାମରିକ ବ୍ୟବହାର ବୋଲି ମଧ୍ୟ ଇରାନ କହିଛି। ତେବେ ଏହି ଦାବିକୁ ଏପର୍ଯ୍ୟନ୍ତ କୌଣସି ସ୍ୱାଧୀନ ଅନ୍ତର୍ଜାତୀୟ ସଂସ୍ଥା କିମ୍ବା ପ୍ରତିରକ୍ଷା ବିଶ୍ଳେଷକ ସତ୍ୟାପିତ କରିନାହାନ୍ତି।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଇରାନୀ ସୂତ୍ର ଅନୁଯାୟୀ, ଏହାର ପ୍ରତିକ୍ରିୟାରେ ଆମେରିକୀୟ ସେନା ବନ୍ଦର ଅବ୍ବାସ ନିକଟରେ ଥିବା ଏକ ଇରାନୀ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ପରେ ଇରାନର Islamic Revolutionary Guard Corps (ଆଇଆର୍ଜିସି) କୁଏତସ୍ଥିତ ଏକ ଆମେରିକୀୟ ବିମାନ ଘାଟିକୁ ଟାର୍ଗେଟ୍ କରିଥିବା ଦାବି କରାଯାଇଛି।
ସାମରିକ ବିଶେଷଜ୍ଞଙ୍କ ମତରେ, ‘ଆରସ-ଏ-କମାଙ୍ଗିର’ ଏକ ଅତ୍ୟାଧୁନିକ ଷ୍ଟେଲଥ୍-ଡିଟେକ୍ସନ୍ ଏୟାର ଡିଫେନ୍ସ ସିଷ୍ଟମ୍ ହୋଇପାରେ। ଏହା ଶତ୍ରୁପକ୍ଷର ଡ୍ରୋନ୍, ଗୁପ୍ତଚର ବିମାନ ଓ ଅନ୍ୟାନ୍ୟ ଆଧୁନିକ ଆକାଶଯାନକୁ ଚିହ୍ନଟ କରି ଧ୍ୱଂସ କରିବା ଉଦ୍ଦେଶ୍ୟରେ ବିକଶିତ ହୋଇଥିବା କୁହାଯାଉଛି।
ଇରାନ ଏହି ପ୍ରତିରକ୍ଷା ବ୍ୟବସ୍ଥାର ନାମକରଣ ପାରସ୍ୟ ପୌରାଣିକ କାହାଣୀର ବୀର ‘ଆରସ’ଙ୍କ ନାମରେ କରିଛି। ତେବେ ଏହାର ପ୍ରକୃତ କ୍ଷମତା, ରେଞ୍ଜ୍ ଏବଂ ପ୍ରାୟୋଗିକ ସଫଳତା ସମ୍ପର୍କରେ ସ୍ୱାଧୀନ ତଥ୍ୟ ସାମ୍ନାକୁ ଆସିନାହିଁ।
ଯୁଦ୍ଧବିରତି ଆଲୋଚନା ଚାଲିଥିବା ବେଳେ ଏଭଳି ଘଟଣା ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।




