ବେଲଗ୍ରେଡ୍: ଭାରତର ସଂସଦୀୟ ବ୍ୟାପାର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର ବେଲଗ୍ରେଡ୍‌ସ୍ଥିତ ‘ପ୍ୟାଲେସ୍ ଅଫ୍ ସର୍ବିଆ’ରେ ସର୍ବିଆର ପ୍ରଧାନମନ୍ତ୍ରୀ ଡୁରୋ ମାକୁଟ୍‌ଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଦୁଇ ନେତାଙ୍କ ମଧ୍ୟରେ ଭାରତ ଓ ସର୍ବିଆ ମଧ୍ୟରେ ରହିଥିବା ପୁରୁଣା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବା ନେଇ ବ୍ୟାପକ ଆଲୋଚନା ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସୂଚନା ଦେଇ ରିଜିଜୁ ଲେଖିଛନ୍ତି, “ବେଲଗ୍ରେଡ୍‌ଠାରେ ସର୍ବିଆର ପ୍ରଧାନମନ୍ତ୍ରୀ ଡୁରୋ ମାକୁଟ୍‌ଙ୍କୁ ସାକ୍ଷାତ କଲି। ପାରସ୍ପରିକ ସମ୍ମାନ, ବନ୍ଧୁତା ଓ ସାଧାରଣ ସ୍ୱାର୍ଥ ଉପରେ ଆଧାରିତ ଭାରତ-ସର୍ବିଆର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶୁଭେଚ୍ଛା ବିନିମୟ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।”

ଏହା ପୂର୍ବରୁ ରିଜିଜୁ ସର୍ବିଆର ବୈଦେଶିକ ମନ୍ତ୍ରୀ ମାର୍କୋ ଦୁରିଚ୍‌ଙ୍କ ସହ ମଧ୍ୟ ଏକ ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ସମୀକ୍ଷା କରାଯିବା ସହ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ କଥାବାର୍ତ୍ତା ହୋଇଥିଲା।

କିରଣ ରିଜିଜୁ ବର୍ତ୍ତମାନ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ (NAM)ର ପ୍ରଥମ ଶୀର୍ଷ ସମ୍ମିଳନୀର ୬୫ତମ ବାର୍ଷିକୀ ଅବସରରେ ଆୟୋଜିତ ଉଚ୍ଚସ୍ତରୀୟ ସ୍ମାରକୀ ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବେଲଗ୍ରେଡ୍‌ଠାରେ ଚାଲିଥିବା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିଛି – ‘ଗୋଷ୍ଠୀନିରପେକ୍ଷତାର ଐତିହ୍ୟ: ଆଜିର ବିଶ୍ୱ ପାଇଁ ଶିକ୍ଷା’।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅନୁଯାୟୀ, ଭାରତ NAMର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଯାହା ବିଶ୍ୱର ୧୨୧ଟି ବିକାଶଶୀଳ ଦେଶକୁ ଏକାଠି ଆଣିଥାଏ। ଭାରତ ନିରନ୍ତର ଭାବେ ଏହି ସଂଗଠନର ନୀତି ଓ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ରହିଛି।

ଏହା ପୂର୍ବରୁ ରବିବାର ଦିନ ରିଜିଜୁ ବେଲଗ୍ରେଡ୍‌ଠାରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେଠାରେ ରହୁଥିବା ଭାରତୀୟ ସମୁଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ।