ନୂଆଦିଲ୍ଲୀ: ତାଜିକିସ୍ତାନର ରାଜଧାନୀ ଦୁର୍ଶାମ୍ବେରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସରକାରୀ ମୁଖ୍ୟ ପରିଷଦ ବୈଠକରେ ଯୋଗଦେବା ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେତେକ ପ୍ରମୁଖ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ସେ ମଙ୍ଗଳବାର ଦିନ ତାଜିକିସ୍ତାନର ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା ଏବଂ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍‌ଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପାରସ୍ପରିକ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି।

ତାଜିକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ରାଜନାଥ ସିଂହ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ ଭାରତ ଓ ତାଜିକିସ୍ତାନ ମଧ୍ୟରେ ରହିଥିବା ଦୀର୍ଘଦିନର ସଭ୍ୟତାଗତ ସମ୍ପର୍କ ଏବଂ ଜନସାଧାରଣଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ବନ୍ଧକୁ ଆଲୋଚନା ସମୟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଇରାନର ପ୍ରଥମ ଉପରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ନେଇ ମଧ୍ୟ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏସସିଓ ସରକାରୀ ମୁଖ୍ୟ ପରିଷଦର ବୈଠକକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ପ୍ରସଙ୍ଗରେ କଡ଼ା ମନୋଭାବ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ଆଜି ବି ଶାନ୍ତି ଏବଂ ବିକାଶ ପାଇଁ ସବୁଠାରୁ ବଡ଼ ବିପଦ ଅଟେ। ଏହା କେବଳ ନିରୀହ ଜୀବନ ନେଉନାହିଁ, ବରଂ ପୁଞ୍ଜିନିବେଶ ଓ ବାଣିଜ୍ୟ କାର୍ବାରକୁ ମଧ୍ୟ ବାଧାପ୍ରାପ୍ତ କରୁଛି।

ଆତଙ୍କବାଦକୁ ଦମନ କରିବାରେ କୌଣସି ଦ୍ୱିତୀୟ ନୀତି ରହିବାଚିତ ନୁହେଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ସେ କହିଛନ୍ତି, “ଯେଉଁମାନେ ଆତଙ୍କବାଦୀଙ୍କୁ ପାଣ୍ଠି ଯାଗାଉଛନ୍ତି, ସହାୟତା କରୁଛନ୍ତି କିମ୍ବା ଆଶ୍ରୟ ଦେଉଛନ୍ତି, ସେମାନଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଆତଙ୍କବାଦର ସମଗ୍ର ଇକୋସିଷ୍ଟମ୍‌କୁ ଦୃଢ଼ ଓ ମିଳିତ ଭାବେ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବା ଆବଶ୍ୟକ।”

ଏହି ଗସ୍ତ କ୍ରମେ ସୋମବାର ଦିନ ରାଜନାଥ ସିଂହ ତାଜିକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏମୋମାଲି ସୋବିର୍ଜୋଦାଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, କ୍ଷମତା ନିର୍ମାଣ ଏବଂ ପ୍ରଶିକ୍ଷଣ କ୍ଷେତ୍ରକୁ ଆହୁରି ମଜବୁତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସୁରକ୍ଷା, ସଂଯୋଗ ଏବଂ ସୁଯୋଗ’, ଦୃଷ୍ଟିକୋଣକୁ ଏସସିଓ ମଞ୍ଚରେ ସେ ପୁଣିଥରେ ଦୋହରାଇଛନ୍ତି।