କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳଗୁଡ଼ିକ ଉପରେ ରୁଷିଆ ପକ୍ଷରୁ ଚାଲିଥିବା ଘନ ଘନ ଆକାଶମାର୍ଗ ଆକ୍ରମଣ ଅତ୍ୟନ୍ତ ଭୟାନକ ରୂପ ନେଇଛି। ମଙ୍ଗଳବାର ରୁଷୀୟ ସେନା ପକ୍ଷରୁ କ୍ରମାଗତ ଷଷ୍ଠ ଦିନ ପାଇଁ କରାଯାଇଥିବା ପ୍ରବଳ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅତିକମରେ ୧୨ ଜଣ ନିରୀହ ଲୋକଙ୍କର ମୃତ୍ୟୁ ଘଟିଛି।
ସମଗ୍ର କିଭ୍ ସହରରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବା ବେଳେ ବହୁ ସଂଖ୍ୟକ ଆବାସିକ ଭବନ ଏବଂ ବେସାମରିକ ଭିତ୍ତିଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବହୁ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାରୁ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହ ନିଖୋଜ ଓ ଆହତମାନଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର)ରେ ଏହି ବିଧ୍ୱଂସକାରୀ ଆକ୍ରମଣର ସୂଚନା ଦେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି ଯେ, ରୁଷିଆ ପକ୍ଷରୁ ପ୍ରଚୁର ପରିମାଣର ଜେଟ୍-ଚାଳିତ ଡ୍ରୋନ୍ ଓ ଶକ୍ତିଶାଳୀ ବାଲାଷ୍ଟିକ୍ ମିସାଇଲ୍ ବ୍ୟବହାର କରି ଜନବସତି ଅଞ୍ଚଳଗୁଡ଼ିକୁ ସୀଧାସଳଖ ନିଶାଣ କରାଯାଇଛି।
ଏହି ସଂଘର୍ଷରେ ଜଣେ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହ ୟୁକ୍ରେନୀୟ ସେନା ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ଆହୁରି ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଜେଲେନସ୍କି ପ୍ରକାଶ କରିଛନ୍ତି।
ୟୁକ୍ରେନରେ ବୃଦ୍ଧି ପାଉଥିବା ଏହି ଆକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ପୁଣି ଥରେ ଆଶଙ୍କା ଓ ଉତ୍ତେଜନା ବୃଦ୍ଧି ପାଇଛି।




