ଦୁବାଇ: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାସ୍‌ ଅଲ୍‌ ଖେମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍‌ ରାସ୍ତାକଡ଼ରେ ଅଟକି ରହିଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କେତେ ଜଣ ଭାରତୀୟ ଅଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଦୁବାଇସ୍ଥିତ ଭାରତୀୟ ଦୂତାବାସ ଏହି ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖାଯାଇଛି।

୪୧ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌

ରାସ୍‌ ଅଲ୍‌ ଖେମାର ଅଲ୍‌ ୱତନ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସର ସୂଚନା ଅନୁଯାୟୀ, ୪୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ରାସ୍ତାକଡ଼ରେ ଅଟକି ରହିଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକ୍‌ଟି ରାସ୍ତାକଡ଼ରେ ଅଟକିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଦୁର୍ଘଟଣା ପରେ ତୁରନ୍ତ ପୁଲିସ, ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା।

ମୃତ୍ୟୁସଂଖ୍ୟା ୧୧ରୁ ବଢ଼ି ୧୩

ୟୁଏଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପ୍ରଥମେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା। ପରେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଆଉ ଦୁଇ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହାସହ ୧୪ ଜଣ ଆହତ ହୋଇଥିବା ରାସ୍‌ ଅଲ୍‌ ଖେମା ପୁଲିସ ସ୍ପଷ୍ଟ କରିଛି।

ଭାରତୀୟ ଦୂତାବାସ ପକ୍ଷରୁ ସହାୟତା

ଦୁବାଇସ୍ଥିତ ଭାରତୀୟ ଦୂତାବାସ ମୃତକଙ୍କ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ସହ କାର୍ଯ୍ୟ କରୁଛି। ଭାରତୀୟ ନାଗରିକଙ୍କ ମୃତ୍ୟୁ ଓ ଆହତଙ୍କ ସଠିକ୍‌ ସଂଖ୍ୟା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ସହାୟତା ପାଇଁ ଦୂତାବାସ ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ହେଲ୍ପଲାଇନ୍‌ ନମ୍ବର ୮୦୦-୪୬୩୪୨ ମଧ୍ୟ ଜାରି କରିଛି।

ଅନ୍ୟପକ୍ଷରେ, ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ପରିସ୍ଥିତିର ତଦନ୍ତ ପାଇଁ ମାମଲାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ତଦନ୍ତ ଶେଷ ହେବା ପରେ ଅଧିକ ତଥ୍ୟ ପ୍ରକାଶ କରାଯିବ ବୋଲି ୟୁଏଇ କର୍ତ୍ତୃପକ୍ଷ କହିଛନ୍ତି।