ରାଇରଙ୍ଗପୁର: ଅକ୍ଟୋବର ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ହେବାକୁ ଥିବା ସ୍ଥାନଗୁଡ଼ିକୁ ରଙ୍ଗୀନ ଆଲୋକରେ ସଜାଯିବା ସହ ରାସ୍ତାଘାଟର ମରାମତି ଓ ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି।
କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ସକାଳ ପ୍ରାୟ ୧୦ଟା ୪୫ ମିନିଟ୍ରେ ରାଷ୍ଟ୍ରପତି ଦାଣ୍ଡବୋଷରେ ପହଞ୍ଚିବେ। ଏହାପରେ ସେ ବାହଳଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତ ସମୟରେ ସେ ବାଦାମପାହାଡ଼-ପୁରୀ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।
ନୂଆ ରେଳସେବା ଆରମ୍ଭ ହେଲେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳରୁ ପୁରୀ ଯାତ୍ରା ଅଧିକ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳ ମଧ୍ୟରେ ରେଳ ଯୋଗାଯୋଗ ଆହୁରି ସୁଦୃଢ଼ ହେବ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ନବୀକରଣ କରାଯାଇଛି। ଷ୍ଟେସନରେ ସାନ୍ତାଳୀ ଚିତ୍ରକଳା, ୱାର୍ଲି ପେଣ୍ଟିଂ, ମୟୂର ଓ ଆଦିବାସୀ ସଂସ୍କୃତିକୁ ନେଇ ଚିତ୍ର ଅଙ୍କାଯାଇଛି। ଏଥିସହ ସହରର ମୁଖ୍ୟ ରାସ୍ତା, କଚେରୀ ପଡ଼ିଆ, ମା’ କିଚକେଶ୍ୱରୀ ମନ୍ଦିରକୁ ଯିବା ରାସ୍ତା, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଦାଣ୍ଡବୋଷ ବିମାନପଟି ଅଞ୍ଚଳରେ ମରାମତି ଓ ଆଲୋକୀକରଣ କାର୍ଯ୍ୟ ଚାଲିଛି।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦୁଇଦିନିଆ ଗସ୍ତକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଜାରି ରହିଛି।




