ଅଯୋଧ୍ୟା: ବଲିଉଡ୍ ଅଭିନେତା ଆମିର୍ ଖାନଙ୍କୁ ନେଇ ଅଯୋଧ୍ୟାର ସାଧୁ ପରମହଂସ ଆଚାର୍ଯ୍ୟଙ୍କ ଏକ ବିବାଦୀୟ ବକ୍ତବ୍ୟକୁ କେନ୍ଦ୍ର କରି ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ତାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ପରମହଂସ ଆଚାର୍ଯ୍ୟ ଆମିର୍ ଖାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ବିବାହକୁ ନେଇ କିଛି ଅଭିଯୋଗ କରିବା ସହ ଅତ୍ୟନ୍ତ ଉତ୍ତେଜନାମୂଳକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ବକ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ବିତର୍କ ସୃଷ୍ଟି ହୋଇଛି।
ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରର ମନ୍ତ୍ରୀ ନିତେଶ ରାଣେ ଆମିର୍ ଖାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ କରିଥିଲେ। ବର୍ତ୍ତମାନ ପରମହଂସ ଆଚାର୍ଯ୍ୟଙ୍କ ବୟାନ ପରେ ପୁଣିଥରେ ଏହି ପ୍ରସଙ୍ଗ ଚର୍ଚ୍ଚାରେ ଆସିଛି।
ଭାଇରାଲ ଭିଡିଓରେ ପରମହଂସ ଆଚାର୍ଯ୍ୟ ଆମିର୍ ଖାନଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଓ ହିଂସାତ୍ମକ ମନ୍ତବ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ବକ୍ତବ୍ୟକୁ ନେଇ ସାଧାରଣ ଲୋକଙ୍କ ସହ ଆଇନ ବିଶେଷଜ୍ଞମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, କୌଣସି ବ୍ୟକ୍ତିଙ୍କ ବିରୋଧରେ ଏପରି ହିଂସାତ୍ମକ ଆହ୍ୱାନ ସାମାଜିକ ଶାନ୍ତି ଓ ଆଇନଶୃଙ୍ଖଳା ପାଇଁ କ୍ଷତିକାରକ ହୋଇପାରେ।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ଆଇନଗତ ଦୃଷ୍ଟିରୁ ଏଭଳି ବକ୍ତବ୍ୟର ଯାଞ୍ଚ ଓ ପ୍ରୟୋଜନୀୟ ପଦକ୍ଷେପ ନିଆଯିବା ନେଇ ମଧ୍ୟ ଦାବି ଉଠୁଛି।




