ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲା (ଅନ୍ନା ଲେଜନେଭା) ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ୧୩ ବର୍ଷର ବୈବାହିକ ଜୀବନ ପରେ ଉଭୟ ଏକ ମିଳିତ ବିବୃତି ଜରିଆରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
ଜନସେନା ପାର୍ଟି ପକ୍ଷରୁ ସେୟାର କରାଯାଇଥିବା ବିବୃତିରେ ଦମ୍ପତି କହିଛନ୍ତି ଯେ, ପାରସ୍ପରିକ ବୁଝାମଣା ଓ ସମ୍ମାନର ସହ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବୈବାହିକ ସମ୍ପର୍କର ଅନ୍ତ ଘଟିଲେ ମଧ୍ୟ ସେମାନେ ଭଲ ବନ୍ଧୁ ଓ ନିଜ ପିଲାମାନଙ୍କ ପ୍ରତି ସମର୍ପିତ ଅଭିଭାବକ ହୋଇ ରହିବେ ବୋଲି କହିଛନ୍ତି।
ପିଲାମାନଙ୍କ ଖୁସି ଓ ଭବିଷ୍ୟତ ସେମାନଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ରଖେ ବୋଲି ମିଳିତ ବିବୃତିରେ ଉଲ୍ଲେଖ କରାଯାଇଛି। ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବା ସହ ବୁଝାମଣା ଓ ସହାନୁଭୂତି ଦେଖାଇବାକୁ ଉଭୟ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପବନ କଲ୍ୟାଣ ୨୦୧୩ ସେପ୍ଟେମ୍ବରରେ ରୁଷୀୟ ନାଗରିକ ଅନ୍ନା ଲେଜନେଭାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ଅଲଗା ହେବାର କାରଣ ସମ୍ପର୍କରେ ଦମ୍ପତି କୌଣସି ସୂଚନା ଦେଇନାହାନ୍ତି। ବିବୃତିରେ ଆଇନଗତ ଛାଡ଼ପତ୍ର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ମଧ୍ୟ କିଛି କୁହାଯାଇନାହିଁ।




