ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପ୍ରଭାବ କ୍ରମଶଃ ତୀବ୍ର ହେଉଛି। ଚଳିତ ଏଲ୍‌ନିନୋ ୧୯୫୦ ପରଠାରୁ ରେକର୍ଡ ହୋଇଥିବା ସବୁଠୁ ଶକ୍ତିଶାଳୀ ଘଟଣା ହୋଇପାରେ ବୋଲି ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (NOAA) ଆକଳନ କରିଛି। ଏହାର ପ୍ରଭାବ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ରହିବା ସମ୍ଭାବନା ଥିବାରୁ ବିଶ୍ୱ ତାପମାତ୍ରା, ବର୍ଷା ଓ ଅନ୍ୟାନ୍ୟ ପାଣିପାଗ ଘଟଣା ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି।

ପାଣିପାଗ ବିଶେଷଜ୍ଞ ରାୟନ୍‌ ମାଉଏ ନଭେମ୍ବର ୨୨ରେ ସାମାଜିକ ଗଣମାଧ୍ୟମରେ ୟୁରୋପୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ECMWF)ର ତଥ୍ୟ ଆଧାରିତ ଏକ ମାନଚିତ୍ର ସେୟାର କରିଥିଲେ। ଏଥିରେ ଗାଲାପାଗୋସ୍‌ ଦ୍ୱୀପ ଓ ପେରୁ ଉପକୂଳ ନିକଟ ପ୍ରଶାନ୍ତ ମହାସାଗରର ଏକ ଅଞ୍ଚଳରେ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୧୦ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ଥିବା ଦର୍ଶାଯାଇଛି। ଏହାକୁ ସେ ‘ମେଗା ଏଲ୍‌ନିନୋ’ ବୋଲି ଅଭିହିତ କରିଛନ୍ତି। ତେବେ ଏହି ଅସ୍ୱାଭାବିକ ଉତ୍ତାପ ସମଗ୍ର ପ୍ରଶାନ୍ତ ମହାସାଗରରେ ନୁହେଁ, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ।

ନିନୋ ୩.୪ ଅଞ୍ଚଳରେ ତାପମାତ୍ରା ୨.୫ ଡିଗ୍ରି ଅଧିକ

NOAAର ତଥ୍ୟ ଅନୁସାରେ, ଏଲ୍‌ନିନୋ ନିରୀକ୍ଷଣ ପାଇଁ ବ୍ୟବହୃତ ମଧ୍ୟ ପ୍ରଶାନ୍ତ ମହାସାଗରର ନିନୋ ୩.୪ ଅଞ୍ଚଳରେ ସମୁଦ୍ର ଜଳପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ୨.୫ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଛି। ସେହିପରି ପୂର୍ବ ପ୍ରଶାନ୍ତ ମହାସାଗରର ନିନୋ ୧+୨ ଅଞ୍ଚଳରେ ଏହି ବୃଦ୍ଧି ୪.୪ ଡିଗ୍ରି ରେକର୍ଡ କରାଯାଇଛି।

୧୯୫୦ରୁ ଉପଲବ୍ଧ ରେକର୍ଡ ଅନୁସାରେ, ଚଳିତ ଏଲ୍‌ନିନୋ ସବୁଠୁ ଶକ୍ତିଶାଳୀ ହେବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ରହିଥିବା NOAA ଆକଳନ କରିଛି। ଏହା ପୂର୍ବରୁ ୧୯୯୭-୯୮ ଓ ୨୦୧୫-୧୬ରେ ମଧ୍ୟ ଶକ୍ତିଶାଳୀ ଏଲ୍‌ନିନୋ ଘଟଣା ଦେଖାଯାଇଥିଲା। ବିଶ୍ୱ ପାଣିପାଗ ସଂଗଠନ (WMO) ମଧ୍ୟ ଏହି ଘଟଣା ରେକର୍ଡ ସ୍ତରରେ ପହଞ୍ଚିବା ଆଶଙ୍କା ନେଇ ସତର୍କ କରାଇଛି।

କ’ଣ ଏହି ଏଲ୍‌ନିନୋ?

ଏଲ୍‌ନିନୋ ହେଉଛି ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା ‘ଏଲ୍‌ନିନୋ-ସାଉଦର୍ଣ୍ଣ ଅସିଲେସନ୍‌’ (ENSO)ର ଉଷ୍ଣ ପର୍ଯ୍ୟାୟ। ଏହି ସମୟରେ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଜଳପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହୋଇଥାଏ।

ସାଧାରଣତଃ ପୂର୍ବରୁ ପଶ୍ଚିମ ଦିଗକୁ ବହୁଥିବା ବାଣିଜ୍ୟ ପବନ ଉଷ୍ଣ ସମୁଦ୍ର ଜଳକୁ ପଶ୍ଚିମ ଦିଗକୁ ଠେଲିଥାଏ। କିନ୍ତୁ ଏହି ପବନ ଦୁର୍ବଳ ହେଲେ ଉଷ୍ଣ ଜଳ ପୂର୍ବ ଦିଗକୁ ବ୍ୟାପିଥାଏ। ଏହାଦ୍ୱାରା ସମୁଦ୍ର ଓ ବାୟୁମଣ୍ଡଳ ମଧ୍ୟରେ ଥିବା ସ୍ୱାଭାବିକ ସନ୍ତୁଳନ ପ୍ରଭାବିତ ହୁଏ। ଫଳରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବର୍ଷା, ମରୁଡ଼ି ଓ ତାପମାତ୍ରାରେ ପରିବର୍ତ୍ତନ ଦେଖାଦିଏ।

ବିଶ୍ୱ ତାପମାତ୍ରା ବୃଦ୍ଧି ସହ ବଦଳିପାରେ ପାଣିପାଗ

ଏଲ୍‌ନିନୋ ସମୟରେ ସମୁଦ୍ରରେ ସଞ୍ଚିତ ଉତ୍ତାପର ଅଧିକ ଅଂଶ ବାୟୁମଣ୍ଡଳକୁ ମୁକ୍ତ ହୋଇଥାଏ। ଏହା ବିଶ୍ୱ ତାପମାତ୍ରାକୁ ଆହୁରି ବଢ଼ାଇପାରେ। ବିଶେଷକରି ଏଲ୍‌ନିନୋର ପ୍ରଭାବ ପରବର୍ତ୍ତୀ ବର୍ଷରେ ଅଧିକ ଅନୁଭୂତ ହେବାର ସମ୍ଭାବନା ଥାଏ।

ଭାରତରେ ମଧ୍ୟ ଏହାର ପ୍ରଭାବ ବର୍ଷା ଓ ତାପମାତ୍ରା ଉପରେ ପଡ଼ିପାରେ। ଏଲ୍‌ନିନୋ ସାଧାରଣତଃ ଭାରତୀୟ ମୌସୁମୀ ବର୍ଷାକୁ ଦୁର୍ବଳ କରିବା ସହ ମରୁଡ଼ି ଆଶଙ୍କା ବଢ଼ାଇପାରେ। ତେବେ ଦେଶର ପାଣିପାଗ କେବଳ ଏଲ୍‌ନିନୋ ଉପରେ ନିର୍ଭର କରେ ନାହିଁ। ଭାରତ ମହାସାଗରର ସ୍ଥିତି, ବାୟୁମଣ୍ଡଳୀୟ ପ୍ରବାହ ଓ ଅନ୍ୟ ଜଳବାୟୁଗତ କାରଣ ମଧ୍ୟ ବର୍ଷାକୁ ପ୍ରଭାବିତ କରିଥାଏ।

ତେଣୁ ଚଳିତ ଏଲ୍‌ନିନୋ କେତେ ତୀବ୍ର ହେବ ଏବଂ ଏହାର ପ୍ରଭାବ ବିଭିନ୍ନ ଦେଶରେ କିପରି ଅନୁଭୂତ ହେବ, ତାହା ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି।