ଭୁବନେଶ୍ୱର: ଓଡ଼ିଶାରୁ ଦେଶର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରୁଥିବା ବିମାନ ରୁଟ୍ଗୁଡ଼ିକରେ ଅହେତୁକ ଭଡ଼ା ବୃଦ୍ଧି ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ବିଜେଡି ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ଅନୁରୋଧ କରିଛନ୍ତି। ନଭେମ୍ବର ୨୬ ତାରିଖରେ ଲେଖାଯାଇଥିବା ଏକ ଚିଠିରେ ସାଂସଦ ପାତ୍ର ଦର୍ଶାଇଛନ୍ତି ଯେ, ବିଶେଷ କରି ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ଏବଂ ପୁଣେ ଭଳି ସହରକୁ ବିମାନ ଭଡ଼ାରେ ବାରମ୍ବାର ଅତ୍ୟଧିକ ବୃଦ୍ଧି ଘଟୁଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀ, ପରିବାରବର୍ଗ ଏବଂ କର୍ମଜୀବୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଗକୁ ଶୀତକାଳୀନ ଛୁଟି ଏବଂ ନବବର୍ଷ ୨୦୨୭ ଆସୁଥିବାରୁ ନିଜ ଘରକୁ ଫେରିବା ପାଇଁ ହଜାର ହଜାର ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀ ଓ କର୍ମଜୀବୀ ପୁଣିଥରେ ଆର୍ଥିକ ବୋଝର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଛନ୍ତି। କିଛି ତଥ୍ୟ ଉପସ୍ଥାପନ କରି ଡଃ ପାତ୍ର କହିଛନ୍ତି ଯେ, ଓଡ଼ିଶା ଅଭିମୁଖେ ରିଟର୍ଣ୍ଣ ବିମାନ ଭଡ଼ା ଫେବୃଆରୀରେ ହାରାହାରି ୧୪,୦୩୨ ଟଙ୍କା ଥିବା ବେଳେ ଅକ୍ଟୋବରରେ ଏହା ପ୍ରାୟ ୩୭.୫ ପ୍ରତିଶତ ବୃଦ୍ଧି ପାଇ ୧୯,୨୯୪ ଟଙ୍କାରେ ପହଞ୍ଚିଥିଲା। ସେହିପରି ଅନ୍ୟ ଏକ ପୋର୍ଟାଲରେ ଜୁଲାଇ ମାସର ୧୭,୬୨୨ ଟଙ୍କା ତୁଳନାରେ ଅକ୍ଟୋବରରେ ଭଡ଼ା ୨୪,୨୩୬ ଟଙ୍କାକୁ ବୃଦ୍ଧି ପାଇଥିଲା। ଦୀପାବଳି ୨୦୨୬ ପୂର୍ବରୁ ବେଙ୍ଗାଲୁରୁ-ଝାରସୁଗୁଡ଼ା ନନ୍-ଷ୍ଟପ୍ ରୁଟ୍ରେ ବିମାନ ଭଡ଼ା ୪,୨୦୦ ଟଙ୍କାରୁ ପ୍ରାୟ ୨୮୬ ପ୍ରତିଶତ ବଢ଼ି ୧୬,୨୦୦ ଟଙ୍କାରେ ପହଞ୍ଚିଥିବା ନେଇ ସେ ପ୍ରକୃତ ଏୟାରଲାଇନ୍ସ କାରବାର ଯାଞ୍ଚ କରିବାକୁ ଦାବି କରିଛନ୍ତି।
ଭୁବନେଶ୍ୱର ବିମାନବନ୍ଦର ୨୦୨୫-୨୬ରେ ୫.୧ ନିୟୁତ ଯାତ୍ରୀ ପରିବହନ କରିଥିବା ବେଳେ ଏହାର ଘରୋଇ ଗନ୍ତବ୍ୟସ୍ଥଳ ସଂଖ୍ୟା ୨୦୨୫ରେ ୨୯ରୁ ହ୍ରାସ ପାଇ ୨୦୨୬ରେ ୧୯ରେ ପହଞ୍ଚିଥିବା ନେଇ ସାଂସଦ ଚିନ୍ତା ପ୍ରକଟ କରିଛନ୍ତି। ସଂସଦୀୟ ସ୍ଥାୟୀ କମିଟିର ୩୫୩ତମ ରିପୋର୍ଟରେ ପାର୍ବଣ ଋତୁରେ ଭଡ଼ା ତଦାରଖ ଓ ସର୍ବୋଚ୍ଚ ଭଡ଼ା ସୀମା ନିର୍ଦ୍ଧାରଣ ପାଇଁ ସୁପାରିଶ କରାଯାଇଥିଲେ ମଧ୍ୟ ଡିଜିସିଏ (DGCA) କେବଳ ୭୮ଟି ରୁଟ୍ର ତଥ୍ୟ ଯାଞ୍ଚ କରୁଛି, ଯାହା ଘରୋଇ ଯାତ୍ରୀ ପରିବହନର ମାତ୍ର ୨୭ ପ୍ରତିଶତ ଅଟେ।
ଅକ୍ଟୋବର ୨୦୨୫ ପାର୍ବଣ ସମୟରେ ୧,୭୫୦ଟି ଅତିରିକ୍ତ ବିମାନ ଚଳାଚଳ ଫଳରେ ଭଡ଼ା ନିୟନ୍ତ୍ରଣରେ ରହିଥିଲା ବୋଲି ଲୋକସଭା ପ୍ରଶ୍ନୋତ୍ତରରୁ ସ୍ପଷ୍ଟ ହୋଇଛି। ତେଣୁ ଆଗାମୀ ଶୀତକାଳୀନ ଛୁଟି ଓ ନବବର୍ଷ ୨୦୨୭ ସମୟରେ ଓଡ଼ିଶା ରୁଟ୍ରେ ବିମାନ ଭଡ଼ା ଉପରେ କଡ଼ା ନଜର ରଖିବା ସହ ଭଡ଼ା ସ୍ୱାଭାବିକ ରଖିବା ପାଇଁ ଓଡ଼ିଶାକୁ ଅଧିକ ବିମାନ ଚଳାଚଳ କରାଇବାକୁ ଡଃ ସସ୍ମିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।




