ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁୟର୍କ ସହରର ପୂର୍ବତନ ମେୟର ରୁଡି ଗିଲିଆନି ଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପ୍ରେସିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍’ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ଘୋଷଣା କରିବାର ଏକ ବର୍ଷରୁ ଅଧିକ ସମୟ ପରେ ଟ୍ରମ୍ପ ନିଜର ଦୀର୍ଘଦିନର ସହଯୋଗୀ ତଥା ପୂର୍ବତନ ବ୍ୟକ୍ତିଗତ ଓକିଲ ଗିଲିଆନିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ହ୍ୱାଇଟ୍ ହାଉସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଓଭାଲ ଅଫିସ ସମାରୋହର ଫଟୋ ସେୟାର କରାଯିବା ସହ ୨୦୦୧ ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ପରେ ଗିଲିଆନିଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଇଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, “‘ଆମେରିକାର ମେୟର’ଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ମିଳିଛି। ଏହା ପ୍ରକୃତ ଆମେରିକୀୟ ନେତୃତ୍ୱ ଏବଂ ଜୀବନବ୍ୟାପୀ ଜନସେବାର ସ୍ୱୀକୃତି।” ଏହି ସମାରୋହରେ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା।

ପୁରସ୍କାର ଗ୍ରହଣ କରିବା ପରେ ଗିଲିଆନି ‘ଏକ୍ସ’ରେ ଲେଖିଛନ୍ତି ଯେ, “ମୋ ଦେଶ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କଠାରୁ ପ୍ରେସିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍ ଗ୍ରହଣ କରି ମୁଁ ଗର୍ବିତ ଓ ଅଭିଭୂତ।” ସମାରୋହ ପରେ ତାଙ୍କ ପୁଅ ଆଣ୍ଡ୍ରିଉ ଗିଲିଆନି ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ପିତାଙ୍କ ପାଇଁ ଏହା ଏକ ଅବିଶ୍ୱସନୀୟ ସମ୍ମାନ। ସୂଚନାଯୋଗ୍ୟ ଯେ, ଟ୍ରମ୍ପ ପ୍ରଥମେ ୨୦୨୫ ସେପ୍ଟେମ୍ବର ୧ ତାରିଖରେ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି ଗିଲିଆନିଙ୍କୁ ନ୍ୟୁୟର୍କ ଇତିହାସର ଶ୍ରେଷ୍ଠ ମେୟର ଓ ଜଣେ ମହାନ ଦେଶଭକ୍ତ ବୋଲି କହି ଏହି ପୁରସ୍କାର ଘୋଷଣା କରିଥିଲେ।

୧୯୯୪ରୁ ୨୦୦୧ ପର୍ଯ୍ୟନ୍ତ ନ୍ୟୁୟର୍କର ମେୟର ଭାବେ କାର୍ଯ୍ୟ କରିଥିବା ଗିଲିଆନି ୯/୧୧ ଆକ୍ରମଣ ପରବର୍ତ୍ତୀ ନେତୃତ୍ୱ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ‘ଆମେରିକାର ମେୟର’ ଭାବେ ପରିଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ପ୍ରତିନିଧିତ୍ୱ କରିବା ଯୋଗୁଁ ସେ ଅନେକ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜର୍ଜିଆର ନିର୍ବାଚନ କର୍ମୀ ରୁବି ଫ୍ରିମ୍ୟାନ୍ ଏବଂ ୱାଣ୍ଡ୍ରିଆ “ଶାୟେ” ମସ୍‌ଙ୍କ ଦ୍ୱାରା ଦାୟର ମାନହାନି ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରାୟ ୧୪୮ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ପରବର୍ତ୍ତୀ ସମୟରେ ସମାଧାନ ହୋଇଥିଲା। ୧୯୬୩ ଫେବୃଆରୀରେ ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍. କେନେଡିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସମ୍ମାନ ଆମେରିକାର ସୁରକ୍ଷା, ବିଶ୍ୱ ଶାନ୍ତି ଓ ଜନସେବା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପ୍ରଦାନ କରାଯାଏ।